ଓଡିଶା ଭଳି ରାଜ୍ୟର ୮୦ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ବାସ କରନ୍ତି ଆଉ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ କୃଷି ଓ କୃଷି ଆନୁଷଙ୍ଗିକ ବୃତ୍ତି ଉପରେ ନିର୍ଭର କରି ଚଳନ୍ତି। ଯଦି ଏହି ୮୦ ଭାଗ ପାଖାପାଖି ଲୋକଙ୍କ ଆୟ ବୃଦ୍ଧି ପାଇବ ନାହିଁ ତେବେ ଆମ ରାଜ୍ୟର ବିକାଶ ହେବ କି? ୮୦ ଭାଗ ଲୋକଙ୍କ ଆୟ ବୃଦ୍ଧି ନ ହେଲେ ରାଜ୍ୟର ମୋଟ ଘରୋଇ ଉତ୍ପାଦ ବୃଦ୍ଧି ପାଇବ କି? କୃଷି କ୍ଷେତ୍ର ଆଜି ଅବହେଳିତ, ଓଡ଼ିଶା ଏବେ ବି ଆଳୁ, ମାଛ, ଅଣ୍ଡା, ଫୁଲ, ପିଆଜ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ। ଚାଷୀମାନେ କେବଳ ନିର୍ଦ୍ଦିଷ୍ଟ ଫସଲ ଉତ୍ପାଦନକୁ ପ୍ରାଧାନ୍ୟ ନ ଦେଇ ଅନ୍ୟ ଫସଲ କିପରି ଚାଷ କରିବେ ତାହା ପ୍ରତି ସରକାର ପ୍ରାଧାନ୍ୟ ଦେବା ଦରକାର। ରାଜ୍ୟର ଅନେକ ଶୀତଳଭଣ୍ଡାର ଅଚଳ। ତାକୁ ପୁନଃକ୍ଷମ କରିବା ଏବଂ ନୂତନ ପ୍ରତିଷ୍ଠା କରିବା ଆବଶ୍ୟକ। ଯେହେତୁ ଜଳସେଚନ ବଢୁ ନାହିଁ, ତେଣୁ ଖଣ୍ଡିଏ ଜମିରେ ଏକାଧିକବାର ଚାଷ ହୋଇପାରୁ ନାହିଁ। କୃଷି ଗଣନା ପ୍ରକୃତ କ୍ଷେତ୍ରରୁ ତଥ୍ୟ ସଂଗ୍ରହ କରି ଯାହା ପରିସଂଖ୍ୟାନ ଦେଇଛି ତାହା ଅଧିକ ଗ୍ରହଣଯୋଗ୍ୟ। ଗୋଟିଏ ଜମିରେ ଜଳସେଚନର ବ୍ୟବସ୍ଥା ହେଲେ ଏକାଧିକ ବାର ଫସଲ ସେଠୁ ଅମଳ ହେବ ଆଉ ଚାଷୀର ଆୟ ବଢ଼ିବ। ଚାଷୀର ଆୟବୃଦ୍ଧି ପାଇଁ କେବଳ ଧାନଚାଷ ନ କରି ବିଭିନ୍ନ ପ୍ରକାର ଫସଲ କରିବାକୁ ଦଶନ୍ଧି ଦଶନ୍ଧି ଧରି କୁହାଗଲା ବେଳେ ଧାନଚାଷର ପ୍ରତିଶତ ହ୍ରାସ ପାଉନାହିଁ ବରଂ ବୃଦ୍ଧି ପାଉଛି। ଏବେ ଧାନଚାଷ ମୋଟ ଚାଷ ହେଉଥିବା ଫସଲର ୭୯.୧୫ ଭାଗ। ଧାନଚାଷକୁ ହ୍ରାସ କରି ଅର୍ଥକରୀ ଡାଲିଜାତୀୟ ଫସଲ, ତୈଳବୀଜ, ପନିପରିବା, ଫଳ, କପା, ଆଖୁ, ଲଙ୍କାମରିଚ, ଅଦା, ହଳଦୀ, ଆଳୁ, ପିଆଜ ଚାଷ ଅଧିକରୁ ଅଧିକ ଜମିରେ କରିବାକୁ ପଡିବ।
ଉପଯୁକ୍ତ ଭୂସଂସ୍କାର ନ ହେବା, କୃଷିରେ ସରକାରୀ ପୁଞ୍ଜିନିବେଶର ଅଭାବ, ସ୍ପଳ୍ପ ସୁଧହାରରେ କୃଷିଋଣ ନ ମିଳିବା, ଜଳସେଚନର ଅଭାବ, କୃଷିରେ ଉତ୍ପାଦନ ଖର୍ଚ୍ଚରେ ଅତ୍ୟଧିକ ବୃଦ୍ଧି ଏବଂ ସର୍ବୋପରି କୃଷକକୁ ତା’ର ଉତ୍ପାଦିତ ଫସଲର ଉପଯୁକ୍ତ ମୂଲ୍ୟ ନ ମିଳିବା ଆଦି କାରଣରୁ ଆମ ଦେଶର କୃଷି ଆଜି ଭୟଙ୍କର ସଙ୍କଟର ସମୁଖୀନ ହେବା ସହ ଗତ ଦେଢ଼ ଦଶକ ମଧ୍ୟରେ ଦେଶର ଦଶ ଲକ୍ଷରୁ ଅଧିକ କୃଷକ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି। ଚାଷୀ ଆତ୍ମହତ୍ୟା ଏବଂ ଚାଷୀ ତା’ ଦ୍ରବ୍ୟର ପ୍ରକୃତ ମୂଲ୍ୟ ନ ପାଇବା ଏକ ବଡ ସମସ୍ୟା। ଚାଷୀମାନେ ଯେଉଁ ଶସ୍ୟହାନିର ସମ୍ମୁଖୀନ ହେଉଛନ୍ତି ତାହାର ଭରଣା ପାଇଁ ଶସ୍ୟବୀମାକୁ ବ୍ୟାପକ କରିବା ଜରୁରୀ। ପ୍ରତ୍ୟେକ ବର୍ଷ କେତେ ଜମି ଜଳସେଚିତ ହେଲା ତାହାର ତଥ୍ୟ ପ୍ରଦାନ ସହ ତାହା ବୃଦ୍ଧି କରିବା ଆବଶ୍ୟକ।
ସ୍ବାଧୀନତାର ଏତେ ବର୍ଷ ପରେ ବି ଜଳସେଚନର ଉପଯୁକ୍ତ ବ୍ୟବସ୍ଥା କରିବାରେ ଆମର ବିଫଳତା କାରଣରୁ ଦେଶର ଅନେକ ଅଞ୍ଚଳ ଏବେ ପ୍ରତିବର୍ଷ ବୃଷ୍ଟିହୀନତା କାରଣରୁ ମରୁଡ଼ିର ଶିକାର ହେଉଛି ।
ଜଳସେଚନ ପାଇଁ ଆଉ ବଡ଼ ବଡ଼ ପ୍ରକଳ୍ପ ନ କରି ଆମ ବର୍ଷାଜଳକୁ ଚାଷୀମାନେ ଯେପରି ନିଜ କ୍ଷେତରେ ଜଳସେଚନ ପୋଖରୀ ଖୋଳି ସଂଗ୍ରହ କରି ରଖି ଫସଲକୁ ଜଳ ଯୋଗାଇବେ ତାହାର ନକ୍ସା ପ୍ରସ୍ତୁତ କରି କାର୍ଯ୍ୟକାରୀ କରାଯାଉ। ଚାଷୀ ପୋଖରୀ ଖୋଳୁ। ସେଥିପାଇଁ ତାକୁ ସବ୍ସିଡି ଦିଆଯାଉ। ଧାନଚାଷ ଜମିର ପରିମାଣ ହ୍ରାସ କରି ବିଭିନ୍ନ ଅର୍ଥକରୀ ଫସଲ ଓ ଆମ ଖାଉଟି ଚାହୁଁଥିବା ଫସଲର ଚାଷ ପାଇଁ ଯୋଜନା ହେଉ। କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ହୋଇ ମୂଲ୍ୟଯୁକ୍ତ କରାଯାଇ ରାଜ୍ୟ ମଧ୍ୟରେ, ବାହାରେ, ଏପରି କି ବିଦେଶ ବଜାରରେ ବିକ୍ରି ପାଇଁ ପଦକ୍ଷେପ ନିଆଯାଉ। ପ୍ରତି ପଞ୍ଚାୟତରେ ଖାଦ୍ୟଶସ୍ୟ ଗୋଦାମ ନିର୍ମାଣ ହେଉ। ପନିପରିବା ବିଶେଷକରି ଆଳୁ ସାଇତି ରଖିବା ପାଇଁ ଶୀତଳଭଣ୍ଡାର ନିର୍ମାଣ ହେଉ ଏବଂ ପିଆଜ ଚାଷ ଅଞ୍ଚଳରେ ପିଆଜ ସାଇତା ଭଣ୍ଡାର ନିର୍ମାଣ ହେଉ।
ଚାଷ କ୍ଷେତ୍ରରୁ ନାମମାତ୍ର ଚାଷୀଙ୍କୁ ବାହାର କରି ଆଣି ବିକଳ୍ପ ନିଯୁକ୍ତି ବ୍ୟବସ୍ଥା କରାଯାଉ। ସେମାନେ କିପରି କୃଷିବାହାରେ ଆତ୍ମନିଯୁକ୍ତି ପାଇ ବିଭିନ୍ନ ପ୍ରକାର ବାଣିଜ୍ୟ ବ୍ୟବସାୟ କରି ପେଟ ପୋଷିବେ ସେଥିପାଇଁ ଏକ ଦଶବର୍ଷିଆ ଦୀର୍ଘମିଆଦୀ ଯୋଜନା କରାଯାଉ।
No comments:
Post a Comment